ଜୀବନ ପ୍ରତିକ୍ଷଣ କିଛି ନା କିଛି ଘଟଣା ଦ୍ୱାରା ପରିଚାଳିତ ହେଉଥାଏ। କେତେବେଳେ ହସ ତ ଆଉ କେତେବେଳେ ଲୁହ । ଏହାରି ଭିତରେ ନିଜକୁ ବୁଝିବା ଓ ଅନ୍ୟକୁ ବୁଝେଇବାର ପ୍ରକ୍ରିୟା ବାରମ୍ବାର ଘଟୁଥାଏ। ଏହି ଅଧା ସୁଖ ଅଧା ଦୁଃଖର କ୍ଷୁଦ୍ର କାହାଣୀକୁ ଆଉ ଟିକେ ସରସ, ସୁନ୍ଦର ଓ ରସମୟ କରିବା ପାଇଁ ସାହିତ୍ୟର ସାଧନା କରିବା ହିଁ ଶ୍ରେଷ୍ଠ ମାଧ୍ୟମ ବୋଲି ମୁଁ ଧରିନେଇଛି। ଯେଉଁ କଥାକୁ କେବେ କଥାରେ କହି ହୁଏନି ତାକୁ କାଗଜ ଉପରେ ଆଙ୍କି ଦେଇ ଟିକେ ହାଲକା ଅନୁଭବ କରେ । ଓଡ଼ିଆ ଭାଷା ସାହିତ୍ୟର ମଧୁରତା କିଛି ଭିନ୍ନ, ଥରେ ତାକୁ ଚାଖିବା ଆରମ୍ଭ କଲେ ଛାଡ଼ିପାରିବା ଅସମ୍ଭବ। ଏହି ଓଡ଼ିଶା ମାଟି କଳା , ସାହିତ୍ୟ ଓ ସଂସ୍କୃତିର ମାଟି । ଯୁଗେ ଯୁଗେ ଏହାରି ବୀରତ୍ଵ ଗାଥା ଇତିହାସକୁ ପରିପୃଷ୍ଟ କରିଛି ତେଣୁ ନିଜକୁ ଜଣେ ଓଡ଼ିଆ ବୋଲି କହିବାକୁ ମୁଁ ଗର୍ବ ଅନୁଭବ କରେ ।
ଆଧୁନିକ ସଭ୍ୟତାର ଦ୍ୱାହିଦେଇ ଏହି ଓଡ଼ିଆ ସମାଜ ନିଜ ମାତୃଭାଷାକୁ ଘୃଣା ଚକ୍ଷୁରେ ଦେଖିବା ଆରମ୍ଭ କରିଛି । ସେମାନେ ମଧୁବାବୁ, ଗୋପବନ୍ଧୁ ଦାସ , କୃଷ୍ଣଚନ୍ଦ୍ର ଗଜପତି ଓ ଆହୁରି ଅନେକ ମହାପୁରୁଷଙ୍କ ବଳିଦାନକୁ ଭୁଲି ଯାଇଛନ୍ତି । ଏକ ଅଖଣ୍ଡ ଉତ୍କଳ ପ୍ରଦେଶ ଗଠନ କରିବା ଲକ୍ଷ୍ୟରେ କେତେ କେତେ ପ୍ରାଣବଳି ଓ ତ୍ୟାଗ କରିବାକୁ ପଡ଼ିଛି ଥରେ ମାତ୍ର ହେଲେ ତାହାର ପୃଷ୍ଠା ଓଲଟାଇ ଦେଖିବାକୁ ଚେଷ୍ଟା କରିନି ଏ ସମାଜ । ବର୍ତ୍ତମାନର ପରିସ୍ଥିତି କିଛି ଏମିତି ହୋଇଛି ଯେ ପୁଅ ମାଆକୁ ଚିହ୍ନିବାକୁ କୁଣ୍ଠାବୋଧ କରେ । ଜାତି ବଞ୍ଚିଲେ ହିଁ ଜୀବନ ରହିବ ନଚେତ୍ ସବୁ କିଛି ପାଉଁଶରେ ପରିଣତ ହୋଇ ଏହି ପଞ୍ଚଭୂତରେ ମିଳେଇ ଯିବ । ତେଣୁ ଆମେ ମାତୃଭାଷା ଓ ମାତୃଭୂମିକୁ ପ୍ରଥମେ ଭଲପାଇବା ଉଚିତ୍ । ଏହି ମୋର ପ୍ରଥମ କବିତା ସଂକଳନରେ ଓଡ଼ିଶାର କଳା କୀର୍ତ୍ତି କୁ ଦର୍ଶାଇବା ନିମନ୍ତେ ଓ ବୀର ପାଇକ ମାନଙ୍କ ସ୍ମୁତିରେ କିଛି କବିତା ଅନ୍ତର୍ଭୁକ୍ତ ହୋଇଛି। ତା ସହିତ ପ୍ରକୃତିର ପ୍ରେମରେ ବିଭୋର ହୋଇ କବିତା ଲେଖିଛି ।
ସମୟ ପରିବର୍ତ୍ତନଶୀଳ। କେତେବେଳେ ଯେ କେଉଁ ଘଡି ଆସି ଉପସ୍ଥିତ ହେବ ତାହା ସମସ୍ତଙ୍କୁ ଅଗୋଚର । ସ୍ଥାନ, କାଳ ଓ ପାତ୍ର ବିଶେଷରେ ପରିସ୍ଥିତି ବଦଳେ। ଜୀବନର ଅଙ୍କାବଙ୍କା ପଥରେ ଅନେକ ସ୍ମୁତି ଚିହ୍ନ ସାଇତା ହୋଇ ରହିଯାଏ ମନ ସିନ୍ଧୁକରେ, ଯାହାକୁ ଧରି ଜୀବନ ବେଶ୍ ଆନନ୍ଦରେ କଟିଯାଏ । ବୟସ ଧିରେ ଧିରେ ଆଗକୁ ଗଡ଼ିଯାଏ ତଥାପି ମନ ଖୋଜୁଥାଏ , ଆଖି ଚାହିଁ ବସିଥାଏ ସେଇ ଚଗଲାପଣକୁ । କେତେବେଳେ ଯେ ଏଇ ମନ ଆଉ ଆଖିର ସ୍ଵପ୍ନକୁ ପୁରା କରିବା ପାଇଁ କବିତା ଲେଖିବା ଆରମ୍ଭ କରିଛି ମୋତେ ମଧ୍ୟ ଜଣା ନାହିଁ ।ମୋ ବାପା , ବୋଉଙ୍କ ଆଶୀର୍ବାଦ ଓ ସେମାନଙ୍କର ମୋ ଉପରେ ଥିବା ପ୍ରଗାଢ଼ ବିଶ୍ୱାସ ଏବଂ ସାନ ଭାଇର ସ୍ନେହ ହିଁ ଆଜି କବିତାର ରୂପରେଖ ଗ୍ରହଣ କରିଛି । କବିତା ଲେଖିବା ଦଶମ ଶ୍ରେଣୀରେ କିଛିଟା ଆରମ୍ଭ କରିଥିଲେ ମଧ୍ୟ ଦ୍ଵାଦଶ କଳାର ଅଧ୍ୟୟନ କରିବା ସମୟରେ ମୋ ପରମ ପୂଜ୍ୟ ଗୁରୁ ଶ୍ରୀ ଅଶୋକ ଦୋରାଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ଅଧିକରୁ ଅଧିକ କବିତା ମନସ୍କ ହୋଇଥିଲି। ମୋତେ ଓ ମୋ କବିତାକୁ ଭଲପାଉଥିବା ମୋର ବାଲ୍ୟ ବନ୍ଧୁ ଅଜିତ୍ କୁମାର ସେଠୀ, ଅରୂପ ସେଠୀ ଓ ରାଜେଶ ବିଷୋୟୀ ଏବଂ ଯାହାଙ୍କ ପ୍ରଶଂସା ମୋ ପ୍ରେରଣାର ଉତ୍ସ ସେଇ ମୋର ଘନିଷ୍ଠ ବନ୍ଧୁ ରାଜେଶ ପାତ୍ର ଓ ତୋଫାନ୍ ରେଡିଙ୍କ ପାଇଁ ହିଁ ଆଜି ଏହି ପୁସ୍ତକଟି ପ୍ରସ୍ତୁତ ହୋଇପାରିଛି। ତେଣୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସେମାନଙ୍କ ଜୀବନର ଉତ୍ତରୋତ୍ତର ଉନ୍ନତି ସହ ଦୀର୍ଘାୟୁ କାମନା କରୁଛି ।
Samayara Sammohan
Siba sethy